Get Even More Visitors To Your Blog, Upgrade To A Business Listing >>

ପ୍ରାଚୀନ କାହାଣୀ - ରାଜାଙ୍କ ବିରାଡି

ଏକଦା ରାଜା କୃଷ୍ଣଦେବ ରାୟ ଶୁଣିବାକୁ ପାଇଲେ ଯେ, ତାଙ୍କ ରାଜ୍ୟରେ ମୂଷା ମାନଙ୍କର ଉପଦ୍ରବ ବଢିଚାଲିଛି । ମୂଷା ମାନଙ୍କର ଉପଦ୍ରବରୁ ରକ୍ଷା ପାଇବା ପାଇଁ ରାଜା ଏକ ହଜାର ବିରାଡି ପାଳିବା ପାଇଁ ନିଷ୍ପତି ନେଲେ । ସଙ୍ଗେ ସଙ୍ଗେ ଏକ ହଜାର ବିରାଡି ଧରା ହୋଇ ଆସିଲେ । ସେମାନଙ୍କୁ ରାଜ୍ୟବାସୀଙ୍କ ମଧ୍ୟରେ ବାଣ୍ଟି ଦିଆଗଲା । ଯେଉଁମାନଙ୍କୁ ବିରାଡି ପାଳିବାକୁ ଦିଆଗଲା, ସେମାନଙ୍କୁ ଗୋଟିଏ ଗୋଟିଏ ଗାଈ ମଧ୍ୟ ଦିଆଗଲା । କାରଣ ବିରାଡି ମାନଙ୍କର କ୍ଷୀର ହେଉଛି ମୁଖ୍ୟ ଖାଦ୍ୟ । ଗାଈ କ୍ଷୀର ନଦେଲେ ବିରାଡିମାନେ ଆଉ ଖାଇବେ କ’ଣ ? ସେଥିପାଇଁ ରାଜା ବିରାଡି ସହିତ ଗୋଟିଏ ଗାଈ ଦେବାକୁ ଠିକ୍ କଲେ ।

ଏଭଳି ସମୟରେ ଟେନାଲୀରାମା ଯାଇ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ରାଜା ତାଙ୍କୁ ମଧ୍ୟ ଗୋଟିଏ ବିରାଡି ସହିତ ଗାଈଟିଏ ପ୍ରଦାନ କଲେ । ପ୍ରଥମ ଦିନ ଟେନାଲୀରାମା ଗାଈ କ୍ଷୀରକୁ ଅଧିକ ଗରମ କରି ଏକ ପାତ୍ରରେ ସେହି ବିରାଡି ସାମ୍ନାରେ ରଖିଲେ । ବିଚରା ବିରାଡିଟି ସେତେବେଳେ ଏତେ ଭୋକିଲା ଥିଲା ଯେ, ସାମ୍ନାରେ କ୍ଷୀର ଦେଖି ସେ ଆଉ ତା ଲୋଭ ସମ୍ଭାଳି ନପାରି ସଙ୍ଗେ ସଙ୍ଗେ ସେଥିରେ ମୁହଁ ମାରିଦେଲା । ଫଳରେ ସେ ବିରାଡିର ପାଟି ପୋଡିଗଲା । ଏହାଦ୍ୱାରା ସେ ବିରାଡିଟି ଏତେ ପରିମାଣରେ ଭୟଭୀତ ହୋଇ ପଡିଲା ଯେ, ଅନ୍ୟ ଦିନେ ତାକୁ ଥଣ୍ଡା କରି ଯେତେ କ୍ଷୀର ଦେଲେ ମଧ୍ୟ ସେ ବିରାଡିଟି କ୍ଷୀର ପାତ୍ରରେ ଆଦୌ ମୁହଁ ମାରିଲା ନାହିଁ ।

ଟେନାଲୀରାମା ପ୍ରତ୍ୟେକ ଦିନ ଗାଈର ସବୁତକ କ୍ଷୀର ନିଜ ପରିବାର ସହିତ ପାନ କରି ଦିଅନ୍ତି । ତିନି ମାସ ପରେ ସବୁ ବିରାଡିଙ୍କର ପରୀକ୍ଷା କରାଗଲା । ଗାଈ କ୍ଷୀର ପାନ କରି ସମସ୍ତଙ୍କର ବିରାଡି ବେଶ ହୃଷ୍ଟ ପୁଷ୍ଟ ଦେଖା ଯାଉଥିଲେ । କିନ୍ତୁ ସେତେବେଳକୁ ଟେନାଲୀରାମାଙ୍କର ବିରାଡିଟି ଶୁଖି ଯାଇ ପୁରାପୁରି କଣ୍ଟା ହୋଇ ଯାଇଥାଏ ।

ଏହା ଦେଖି ରାଜା ଅତ୍ୟନ୍ତ ବିରକ୍ତ ହୋଇ କହିଲେ, “ଟେନାଲୀରାମା ! ତୁମେ ଏହି ବିରାଡିକୁ କ’ଣ ଗାଈ କ୍ଷୀର ପିଆଉ ନଥିଲ କି ? ରାଜାଙ୍କ ଏ ପ୍ରକାର କଥା ଶୁଣି ଟେନାଲୀରାମା କହିଲେ, “ମହାରାଜ ! ଏହି ବିରାଡିଟିର କ’ଣ ହେଲା କେଜାଣି କ୍ଷୀର ଦେଖିଲେ ପିଇବା ତ’ ଦୂରର କଥା ଓଲଟି ସେ ଦୌଡି ପଳାଉଛି ।”

ଏପରି ଶୁଣି ମହାରାଜ ଖୁବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ତୁମେ କ’ଣ କହୁଛ ? ବିରାଡି ପୁଣି କ୍ଷୀର ନପିଇ ଦୌଡି ପଳାଉଛି । ତୁମେ କ’ଣ ଭାବୁଛ ମୁଁ ତୁମ କଥାକୁ ଏତେ ସହଜରେ ବିଶ୍ୱାସ କରିଯିବି ?” ଟେନାଲୀରାମା କହିଲେ, “ମହାରାଜ ! ମୁଁ ଆଦୌ ମିଛ କହୁନାହିଁ । ଏଇ ବିରାଡି କ୍ଷୀର ଆଦୌ ପିଉନାହିଁ । ରାଜା କହିଲେ, “ଯଦି ତୁମ କଥା ସତ ହୁଏ ତା’ହେଲେ ମୁଁ ତୁମକୁ ଏକ ଶତ ସ୍ୱର୍ଣ୍ଣମୁଦ୍ରା ଦେବି । ଆଉ ଯଦି ବିରାଡି କ୍ଷୀର ପିଇ ଦେଲା ତା’ହେଲେ ତୁମେ ମୋତେ ଏକ ଶତ ସ୍ୱର୍ଣ୍ଣମୁଦ୍ରା ଦେବ ।

ଟେନାଲୀରାମା ରାଜାଙ୍କର ଏହି ସର୍ତ୍ତରେ ରାଜି ହେଲେ । ଏକ ପାତ୍ରରେ କ୍ଷୀର ଭର୍ତ୍ତି କରାଯାଇ ଅଣାଗଲା । ରାଜା ସେ ବିରାଡିକୁ ନିଜ ହାତରେ ଆଉଁସି ଆଉଁସି କହିଲେ, ମୋ ସୁନାଟା ପରା ! ଖୀର ତକ ପିଇ ଦେଲୁ ।” ବିରାଡିଟି ଯେମିତି ତା' ଆଗରେ କ୍ଷୀର ପାତ୍ର ଦେଖିଲା, ସେ ରାଜାଙ୍କ ପାଖରୁ ସିଧା ତଳକୁ କୁଦା ମାରି ଦୌଡିଲା ।

ଟେନାଲୀରାମା ଏହା ଦେଖି କହିଲେ, “ମହାରାଜ ! ଏକ ଶତ ସ୍ୱର୍ଣ୍ଣମୁଦ୍ରା ତାହେଲେ ଆପଣ ମତେ ଦେବେ । ରାଜା କହିଲେ, “ମୁଁ ମାନୁଛି ସ୍ୱର୍ଣ୍ଣମୁଦ୍ରା ଏବେ ତୁମେ ହିଁ ପାଇବ । କିନ୍ତୁ ଏହି ବିରାଡିକୁ ମୁଁ ଟିକେ ଭଲଭାବରେ ଦେଖିବାକୁ ଚାହୁଁଛି । ତାପରେ ସେ ବିରାଡିର ପାଟିକୁ ଦେଖିଲା ବେଳକୁ ତା’ର ନାକ ତଳକୁ ଏକ ପୋଡା ଚିହ୍ନଟିଏ ରହିଛି । ସେ କ୍ଷତଟି ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭଲ ହୋଇନାହିଁ ।

ରାଜା ଏହା ଦେଖି ରାଗିଯାଇ କହିଲେ, “ଦୁଷ୍ଟ କୋଉଠିକାର ? ଜାଣି ଶୁଣି ତୁମେ ଗରମ କ୍ଷୀର ଏ ବିରାଡିକୁ ଦେଇ ତା'ର ଏପରି ଅବସ୍ଥା କରିଛ ?”

ସବୁ ଶୁଣି ଟେନାଲୀରାମା ରାଜାଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲେ, “ମହାରାଜ ! ରାଜାଙ୍କର ଏହା ଜାଣିବା ନିହାତି ଆବଶ୍ୟକ ଯେ, ରାଜ୍ୟରେ ବିରାଡିଙ୍କ ଅପେକ୍ଷା ମନୁଷ୍ୟ ଛୁଆମାନେ ପ୍ରଥମେ କ୍ଷୀର ଖାଇବା ଆବଶ୍ୟକ ।”

ରାଜା କୃଷ୍ଣଦେବ ରାୟ ଟେନାଲୀରାମାଙ୍କ ଏଭଳି କଥା ଶୁଣି ଖାଲି ହସି ଉଠିଲେ ଏବଂ ତାଙ୍କୁ ଏକ ଶତ ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କଲେ । ଶେଷରେ ରାଜା କହିଲେ, “ତୁମେ ଯାହା କହିଲ, ତାହା ତ ଠିକ୍ କଥା, କିନ୍ତୁ ତୁମେ ଯେପରି ନିରୀହ ଜୀବଜନ୍ତୁମାନଙ୍କ ପ୍ରତି ଏପରି ବ୍ୟବହାର ନକର, ଭଗବାନ ତୁମକୁ ଏହି ସଦବୁଦ୍ଧି ଦିଅନ୍ତୁ ।”



This post first appeared on Literary Web Magazine, please read the originial post: here

Share the post

ପ୍ରାଚୀନ କାହାଣୀ - ରାଜାଙ୍କ ବିରାଡି

×

Subscribe to Literary Web Magazine

Get updates delivered right to your inbox!

Thank you for your subscription

×